ପରଂବ୍ରହ୍ମ ହୋଇ ରହିଗଲି

ପ୍ରିୟତମା ପଦ୍ମାବୟସର ଦିଗ୍‌ ବଳୟରେ


ମୁଁ ଆଜି ଝରାଫୁଲର ସ୍ୱପ୍ନ ,


ଜଂଜାଳର ବହଳ ପରଦାକୁ ଛୁଇଁ
ମଧ୍ୟାହ୍ନ କେତେବେଳେ ଉପନୀତ
ତଥାପି ଏ ଦେହରେ ରହିଛି
ତମ କାଉଁରୀ ସ୍ପର୍ଶର ଚମକ ।
ତମ ଆଙ୍ଗୁଳିର ଦାଗ ଆଜିବି
ମୋ ଦେହରେ ସ୍ପଷ୍ଟ
ଯାହା ପାଲଟି ଯାଇଛି ଶିଳାରୁ ଶାଳଗ୍ରାମ !
ତୁମେ ସିନା ମୋତେ ପଳାଶ ଫୁଲର
ଫଗୁଣରେ ସଜାଇଥିଲ
ହେଲେ , ମୋ ଦେହର ରକ୍ତ ସବୁ
ତୁମ ପାଇଁ କାନ୍ଦି ଉଠୁଥିଲା
ରିକ୍ସାବାଲା ଦେହର ଝାଳ ସଦୃଶ ,
ଯେମିତି ଦଗ୍ଧୀଭୂତ ହୋଇ
ଖରାରେ ଖରାରେ ଉଭେଇ ଗଲା ପରି ।
କିନ୍ତୁ , ତୁମଛାଇ ମୋ ମନ ଅଗଣାରେ
ମୋ ଅଲାଜୁକ ପଣକୁ ଉତ୍ତାରି ଆଣି
ଭାରି ଅସ୍ତବ୍ଯସ୍ତ କରୁଛି ,
ମଧ୍ୟ ରାତ୍ରିର ଭାବନାରେ ବିଷ ପିଇ
ନିଜ କୋଳେ ନିଜେ ଶୋଇ
ପାହାନ୍ତା ପର୍ଯ୍ୟନ୍ତ ମରିଯାଉଛି ।
ତୁମ ଅନ୍ତରର ଇତି ମୋ ଯୌବନର
ଅନାବନା ଘାସ ଗାଲିଚାରେ
ସ୍ୱତଃ ପୁଲକିତ ହୋଇ
କାହିଁ ଆପେ ଆପେ ମଉଳି ଯାଉଛି ।
ସତରେ , ତୁମ ପାଇଁ ମୁଁ
ପାଗଳର ଅନ୍ତଃସ୍ୱର
ଆଉ , ତୁମେ ମୋ କବିତାର
ନୂଆ ଏକ ପଂକ୍ତିରେ
ପରଂବ୍ରହ୍ମ ହୋଇ ରହିଗଲ ।
ଭାବୁଛି ସବୁ ଶବ୍ଦ ତୁମକୁ ସମର୍ପି
ଜୀବନରେ ସନ୍ୟାସୀ ନେବି
ମୋ ଭାବନାରୁ ପୂରା ପୂରି
ମୁକ୍ତ କରିଦେବି ।
ତଥାପି ପଦ୍ମା
ଜାଣିବାରେ ଇତି ଲେଖିବାକୁ
ମୋ ହାତ
ଆଜିବି କାହିଁକି ଅଟକି ଯାଉଛି ।

One thought on “ପରଂବ୍ରହ୍ମ ହୋଇ ରହିଗଲି

  • Leave a Reply

    Your email address will not be published. Required fields are marked *