ଜୀବନ ଆରମ୍ଭରୁ ଅନେକ ପରିଚୟ ଥିଲେ ବି , ବର୍ତ୍ତମାନ ମୁଁ ଜଣେ ଲେଖିକା ଭାବରେ ଆତ୍ମତୃପ୍ତି ଓ ଆତ୍ମସମ୍ମାନ ଭାବରେ ବଂଚିବାକୁ ଚାହେଁ । କାରଣ ଜୀବନର ସବୁ ମୋଡର ମୁହାଣ ଭିତରେ , କେବଳ ଶବ୍ଦ ବ୍ରହ୍ମହିଁ ମୋତେ ନୂଆ ଜୀବନ ଦେଇଛି। ଆଉ ସବୁ ଦୁଃଖର ପରିସମାପ୍ତି ଲେଖିବା ଦ୍ଵାରା ଅନ୍ତ ଘଟିଛି।

ମୁଁ କେବେ ବି କହିବି ନାହିଁ,  ମୁଁ ଜଣେ ସାହିତ୍ୟିକା । ହେଲେ ଗର୍ବ ସହକାରେ କହିବି ଯେ , ମୁଁ ଜଣେ ଉତ୍ତମ ଲେଖିକା । ମୋ ଲେଖାର ପୃଷ୍ଠଭୂମି ଅନେକ ନାରୀ ଚରିତ୍ରର ସମଷ୍ଟି । ତା ମାନେ ନୁହେଁ ଯେ , ପୁରୁଷଙ୍କ ପାଇଁ ମୋ ଶବ୍ଦ ଝରେନି । ସେଇ ନାରୀ ଚରିତ୍ରର ଲେଖା ମଧ୍ୟରେ ପୁରୁଷର ଭୂମିକା ବେଶ୍ ନିଆରା ଢଙ୍ଗରେ ଥାଏ ।

ମୋ ପିଲାବେଳ କଟି ନଥିଲା କୌଣସି ସାହିତ୍ୟ ପରିସରରେ ।
ଆମ ଘରେ କେହି ବି ନଥିଲେ ସାହିତ୍ୟ ପ୍ରେମୀ । ଆମେ ଆଠ ଭାଇ ଭଉଣୀଙ୍କୁ ନେଇ ଆମ ନନାଙ୍କ ଶିକ୍ଷକତା ଚାକିରୁ ଯାହା ବି ସରକାରୀ ବେତନ ମିଳେ , ସେଥିରୁ ଗପ ବହିଟିଏ କି ପତ୍ରିକା କିଣିବାର ବାସ୍ତବତା କେବେ ନଥାଏ । ସୌଦା ଠୁଙ୍ଗାରେ ଯଦି କିଛି ଗଳ୍ପ କବିତା କି ଅନ୍ୟ କିଛି ଲେଖା  ନଜରକୁ ଆସେ , ତେବେ ପଢିବାକୁ ଧର୍ଯ୍ୟ ରହେ ନାହିଁ । ପଢିବା ସହିତ ଦୀର୍ଘ ଦିନ ସାଇତି ରଖେ । ସେତେବେଳର ଜହ୍ନ ମାମୁ ମୋର ଭାରି ପ୍ରିୟଥିଲା । ସାଙ୍ଗ ଠାରୁ ମାଗିକରି ପଢେ କ୍ଲାସ୍ ରେ ।
ଥରେ ଶେଷ ପିରିୟଡ୍ ରେ ସାହିତ୍ୟ କ୍ଲାସ୍ ଥାଏ । ସାର୍ ଶ୍ରେଣୀରେ ପଢାଉଥାନ୍ତି । ସାଙ୍ଗ ତା ଜହ୍ନମାମୁ ନେଇଯିବ ବୋଲି , ସାହିତ୍ୟ ବହିତଳେ ଲୁଚାଇ ତରତର ହୋଇ ପଢୁଥାଏ , ସାର୍ ଙ୍କ ନଜର ପଡିଗଲା । ସାର୍ ଦୁଇ ଜାବୁଡା ଦେଇ କହିଲେ , ଆହା କି ଗପ ପଢାରେ ଲୟ । ସତରେ ଯେମିତି ଗୋଟେ ବଡ ଲେଖିକା ହୋଇଯିବ । ସେଇ ଦିନରୁ ମୋ ଗୁରୁଙ୍କ ଆଶୀର୍ବାଦ ପାଇ ଆଜି ମୁଁ ଲେଖି ପାରୁଛି ।
ସବୁ ପରେ , ମୋ ସ୍ବାମୀ ପ୍ରଫୁଲ ବାବୁ ବହୁତ ଭଲ ଲେଖୁଥିଲେ। କିନ୍ତୁ ବିବାହ ପରେ , ଆଉ ଧାଡିଟିଏ ମଧ୍ୟ ଲେଖିଲେ ନାହିଁ। ଏହା ବି ମୋ ଲେଖିକା ଜୀବନରେ ଏକ ପ୍ରଭାବ । ଏବେ କିନ୍ତୁ ସିଏ ବହୁତ ପଢନ୍ତି , ମୁଁ କିନ୍ତୁ ବହୁତ ଲେଖେ ।
ମୋ ଲେଖାର ପ୍ରେରଣା ହେଉଛି ,  ମୋ ଦୁଃଖ କଷ୍ଟ , ଅଭାବ ଅନାଟନ ଓ ଅହରହ ଯନ୍ତ୍ରଣା ସହିତ ଜୀବନବ୍ୟାପୀ ସଂଗ୍ରାମର ଫଳ ।
ଗଳ୍ପ , କବିତା,  ଗୀତି କବିତା, ଉପନ୍ୟାସ  , ନାଟକ , ପ୍ରବନ୍ଧ ସର୍ବୋପରି  , ମୁଁ ସବୁ ଲେଖିପାରେ । ହେଲେ ବର୍ତ୍ତମାନ କେବଳ ଉପନ୍ୟାସ ଲେଖିବା ପାଇଁ ସିଦ୍ଧାନ୍ତ ନେଇଛି ।
ଲେଖୁଥିଲି , ଲେଖୁଛି ଏବଂ ଶେଷ ଜୀବନ ପର୍ଯ୍ୟନ୍ତ କେବଳ ଲେଖିବି ।
ହଁ , ଲେଖିବା ଗୋଟେ ବଡ କଥା ନୁହେଁ,  ଆତ୍ମତୃପ୍ତି ହିଁ ବଡ କଥା।